ଦିନ କେଇଟା ପରେ ଆସିଯିବ ପବିତ୍ର ଶ୍ରାବଣ ମାସ। ଯାହାକି ମହାଦେବଙ୍କର ଏକ ପ୍ରିୟ ମାସ ଭାବରେ ଜଣାଯାଏ। ଏହି ମାସରେ ଭକ୍ତ ମାନେ ପ୍ରଭୁ ଶିବଙ୍କ ନିକଟରେ କୌଣସି କାର୍ଯ୍ଯ ପୂର୍ତ୍ତି ପାଇଁ କରିଥିବା ମାନସିକକୁ ପୁରା କରିବାକୁ ଯାଇ କାହିଁ କେଉଁ ଦୂରରୁ କଳସରେ ପାଣି ଭରି କାଉଁଡି ସାହାଯ୍ୟରେ ନେଇ ଶିବ ମନ୍ଦିର ଯାଇ ପାଣି ଢ଼ାଳିଥାନ୍ତି। ଭକ୍ତ ମାନେ ମାସ ମାସ ଆଗରୁ ଅପେକ୍ଷା କରି ରହିଥାନ୍ତି ଏହି ପବିତ୍ର ମାସକୁ। ହେଲେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ଭକ୍ତ ମାନଙ୍କର ଏହି ଅପେକ୍ଷା ଅପେକ୍ଷାରେ ରହିଯିବ । କାରଣ କରୋନା ମହାମାରୀ ସତେ ଯେମିତି ଭକ୍ତ ଆଉ ଭଗବାନଙ୍କ ମଝିରେ ପାଚେରି ହୋଇ ଠିଆ ହୋଇଛି।
ରାଜ୍ୟ ସରକାରଙ୍କ ନାନା ପଦକ୍ଷେପ ଫଳରେ ରାଜ୍ୟରେ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଥିଲେ ହେଁ ଆଶଙ୍କିତ କରୋନାର ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବୋଲବମ୍ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। କାରଣ ଜଳଭାର ଉଠାଇବା ଲାଗି ଲକ୍ଷ ଲକ୍ଷ ଭକ୍ତ ଏକାଠି ହେବା ଦ୍ୱାରା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଏ ବର୍ଷ ବୋଲ୍ ବମ୍ ଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ଙ୍କ ପକ୍ଷରୁ ମଙ୍ଗଳବାର ଦିନ ନିର୍ଦ୍ଦେଶନାମା ଜାରି କରାଯାଇଛି।
ରାଜ୍ୟର କୌଣସି ବି ଶୈବ ପୀଠ ରେ ଭକ୍ତ ମାନେ ପାଣି ଢ଼ାଳି ପାରିବେ ନାହିଁ। ଜୁଲାଇ ୨୩ରୁ ଶ୍ରାବଣ ମାସ ଆରମ୍ଭ। ୨୬ରେ ପଡ଼ୁଛି ପ୍ରଥମ ସୋମବାର ତଥା ବୋଲ୍ବମ୍ର ପ୍ରଥମ ପାଳି। ତେଣୁ କାଉଡ଼ିଆମାନେ ଶ୍ରାବଣୀ ଜଳଭାର ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତି ହଜାର ହଜାର ମାନସିକଧାରୀ ବୋଲବମ୍ ଭକ୍ତଙ୍କୁ ନିରାଶ କରିଛି। ହେଲେ ସୁରକ୍ଷା ଦୃଷ୍ଟିରୁ ସେମାନେ ଏହାକୁ ମାନିବାକୁ ବାଧ୍ୟ ।
ସୂଚନା ଥାଉ କି, କରୋନା ମହାମାରୀ ସଂକ୍ରମଣ ଭୟରେ ଗତ ଥର ଭଳି ଚଳିତ ଥର ମଧ୍ୟ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି। କେବଳ ସେବାୟତ ମାନଙ୍କୁ ହିଁ ରଥ ଟାଣିବାକୁ ଅନୁମତି ମିଳିଥିଲା। ଶ୍ରୀକ୍ଷେତ୍ର ଭିତରେ ଭକ୍ତ ମାନଙ୍କ ସମାଗମକୁ ରୋକିବାକୁ ଯାଇ ସାରା ସହରରେ ରଥ ଯାତ୍ରା ଦିନ କର୍ଫ୍ୟୁ ଜାରି କରାଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।