ଯାତ୍ରା ଜଗତର ଜଣାଶୁଣା ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ଅଭିଯୋଗ। ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ମିଡିଆ ହାଉସର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ।
ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ ମଧ୍ୟ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି । ଏନେଇ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । ଏତଲାରେ ହର ବାରିକ ଉଲ୍ଲେଖ କରିଛନ୍ତି ଯେ ଦଇତାରୀ ପଣ୍ଡା ୨୦୨୨- ୨୩ ଯାତ୍ରା ବର୍ଷ ପାଇଁ ଚୁକ୍ତି ବଦ୍ଧ ହୋଇଥିଲେ।
ଏଥିପାଇଁ ସେ ପାର୍ବତୀ ଗଣନାଟ୍ୟଠାରୁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ୨୧ ଜୁନରେ ସେ ଆଖଡ଼ାରେ ଯୋଗ ଦେବା କଥା କିନ୍ତୁ ଯୋଗ ଦେଇ ନଥିଲେ । ଯାତ୍ରା ପାର୍ଟି ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହାର ସେ କୌଣସି ଉତ୍ତର ଦେଇନଥିଲେ। ଏମିତିକି ସେ ନିଖୋଜ ହୋଇଯାଇଥିବା ହର ବାରିକ ଅଭିଯୋଗ ଆଣିଥିଲେ।
ହେଲେ ଅନ୍ୟପଟେ ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା। ସେ କହିଛନ୍ତି ପାର୍ବତୀ ଗଣନାଟ୍ୟ ଠାରୁ ସେ କିଛି ବି ଟଙ୍କା ଆଣିନାହାନ୍ତି କି କୌଣସି ଚୁକ୍ତିପତ୍ର ରେ ସ୍ୱାକ୍ଷର କରିନାହାନ୍ତି। ସେ ଯେତିକି ଦିନ ଯାତ୍ରା କରିଥିଲେ ସେତିକି ଦିନର ପାରିଶ୍ରମିକ ଆଣିଛନ୍ତି। ଏହା ଛଡ଼ା ଟଙ୍କାଟିଏ ମଧ୍ୟ ଅଧିକ ଆଣି ନଥିବା କହିଛନ୍ତି। ସେ ତାଙ୍କ ଯାତ୍ରା ପାର୍ଟି ଛାଡ଼ି ଦେବାରୁ ସେ ଜାଣିଶୁଣି ତାଙ୍କୁ ବଦନାମ କରିବା ପାଇଁ ଏମିତି ଅପପ୍ରଚାର କରୁଛନ୍ତି ବୋଲି ଦୈତାରି ପଣ୍ଡା ମତାମତ ଦେଇଛନ୍ତି।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ଜାଣିଶୁଣି ବଦନାମ କରିବାକୁ ଚେଷ୍ଟା କରାଯାଉଛି। ସେ ବର୍ତ୍ତମାନ କୋଣାର୍କ ଗଣନାଟ୍ୟ ରେ କାମ କରୁଛନ୍ତି ସେ କେଉଁଆଡେ ବି ଫେରାର ହୋଇନାହାନ୍ତି। ହର ବାରିକ ତାଙ୍କୁ ଥରୁଟିଏ ବି ଯୋଗାଯୋଗ କରିନଥିବା କଥା କହିଛନ୍ତି ଦୈତାରି ପଣ୍ଡା।