ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଙ୍କ ଆତ୍ମହତ୍ୟା ଘଟଣା କୁ କିଛି ଦିନ ନ ପୁରୁଣୁ ପୁଣି ଥରେ ବିଜେବି କଲେଜରୁ ରାଗିଂ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏଥର ଏଭଳି କିଛି ଅଭିଯୋଗ ଆଣିଛନ୍ତି ବିଜେବି କଲେଜ ର +୨ ଦ୍ଵିତୀୟ ବର୍ଷର କମର୍ସ ଛାତ୍ର। ସିନିୟର୍ ମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ବାଇକ୍ ଛଡେଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ଭୁବନେଶ୍ବର ସ୍ଥିତ ବଡଗଡ଼ ଥାନାରେ ପହଞ୍ଚି ରାଗିଂ କରୁଥିବା ଛାତ୍ର ମାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ର।
ସୂଚନା ଅନୁଯାୟୀ, ଗତ ୧୫ ଦିନ ତଳେ ସଂପୃକ୍ତ ଛାତ୍ର ଜଣକୁ କିଛି ସିନିୟର୍ ମାନେ ମିଶି ରାଗିଂ କରିଥିଲେ। ଛାତ୍ର ଜଣକ ତାଙ୍କୁ ବିରୋଧ କରିବା ସହିତ ଏ ସମ୍ପର୍କରେ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହିତ ସେ କଲେଜ୍ ରେ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ। ହେଲେ କେହି ବି କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ।
ତେବେ ଅଭିଯୁକ୍ତ ଛାତ୍ର ମାନେ ନିଜ ନାଆଁ ରେ ଅଭିଯୋଗ ହୋଇଥିବା କଥା ଜାଣିବା ପରେ ଗୋଷ୍ଠୀ ହୋଇ ଆସି ସଂପୃକ୍ତ ଛାତ୍ର ଙ୍କୁ ଗତକାଲି କଲେଜ୍ କ୍ୟାମ୍ପସ ଭିତରେ ମାଡ ମାରିଥିଲେ। କେବଳ ଏତିକି ନୁହେଁ, ଏହା ସହିତ ସେମାନେ ଛାତ୍ର ଜଣକ ପଇସା, ମୋବାଇଲ ଓ ଗାଡି ମଧ୍ୟ ଛଡ଼ାଇ ନେଇଥିଲେ।
ତେବେ ୧୫ ଦିନ ତଳେ ହୋଇଥିବା ଘଟଣାର ପୁନର୍ବାର ପୁନରାବୃତ୍ତି ହୋଇଛି। ଯଦି ପ୍ରଥମ ଅଭିଯୋଗ ଆଧାରରେ ପୋଲିସ କିମ୍ବା କଲେଜ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇଥାନ୍ତେ ତେବେ ଆଜି ଏହି ଘଟଣା ବୋଧହୁଏ ପୁନରାବୃତ୍ତି ହୋଇନଥାନ୍ତା ବୋଲି କହିଛନ୍ତି ସମ୍ପୃକ୍ତ ଛାତ୍ର ଜଣକ ମା। ତେବେ ଏପର୍ଯ୍ୟନ୍ତ ରାଗିଂ ଅଭିଯୋଗ ନେଇ କଲେଜ୍ କର୍ତ୍ତୃପକ୍ଷ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ତେବେ ବିଜେବି କଲେଜ୍ ଭଳି ରାଜ୍ୟର ଏକ ଖ୍ୟାତସମ୍ପନ୍ନ କଲେଜ୍ ରେ ଏଭଳି ବାରମ୍ବାର ରାଗିଂ ଘଟଣା କଲେଜ୍ ର ଶୃଙ୍ଖଳା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ଏଭଳି ସଙ୍ଗୀନ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା କଲେଜ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ଯେଉଁଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।