ରାଜ୍ୟ ସରକାର ଶିକ୍ଷାକୁ ନେଇ ଅନେକ ବ୍ୟବସ୍ଥା କରୁଥିଲେ ମଧ୍ୟ ଏବେ ବି ଶିକ୍ଷା କ୍ଷେତ୍ରରେ ଅନେକ ଗାଁ ପଛରେ ରହିଯାଇଛି। ଆପଣ ଶୁଣିଲେ ଆଶ୍ଚର୍ୟ୍ଯ ହେବେ ଏବେ ବି ଏଭଳି ଏକ ଗାଁ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର କଲେଜ ଯାଇନାହାନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ଏକ ଗାଁ ର ନାଁ ହେଉଛି ଜାରେଙ୍ଗପଟା । ଯେଉଁ ଗାଁରେ ବସତି ସ୍ଥାପନ କରିବାର ୧୦୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଛାତ୍ର ମାଟ୍ରିକ୍ ପାସ୍ କରିନଥିଲେ କି କଲେଜ୍ ମାଡ଼ିନଥିଲେ। ହେଲେ ଏବେ ପ୍ରଥମଥର ସେଇ ଗାଁର ଜଣେ ଛାତ୍ର ମାଟ୍ରିକ୍ ପାସ୍ କରିଛନ୍ତି। ଏବେ ସଂପୃକ୍ତ ଛାତ୍ର ଜଣକ ହେବେ ଗାଁର ପ୍ରଥମ କଲେଜ ପଢ଼ୁଆ ପୁଅ।
ଏହି ଛାତ୍ର ଜଣକ ହେଉଛନ୍ତି ଜାରେଙ୍ଗପଟା ଗାଁ ରାଜୁ ମାଝୀଙ୍କ ପୁତ୍ର ସନ୍ଦୀପ ମାଝୀ। ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ସନ୍ଦୀପ ୩୩୦ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପରେ ଗାଁରେ ଖୁସିର ଲହରୀ ଖେଳି ଯାଇଛି । ଜାରେଙ୍ଗପଟା, ଯେଉଁ ଗାଁର ଜଣେ ମଧ୍ୟ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କଲେଜ ମାଟି ମାଡ଼ିନାହାନ୍ତି । ଏବେ ମ୍ୟାଟ୍ରିକ ପାସ୍ କଲେଜ ମାଟି ମାଡିବାର ପ୍ରଥମ ଛାତ୍ର ହେବେ ସନ୍ଦୀପ ମାଝୀ।
ଏହି ଗାଁ ରେ କୌଣସି ସ୍କୁଲ୍ ନ ଥିବାରୁ ଗୋଟେ କିଲୋମିଟର ଦୂର ପୋଖରିବନ୍ଧ ସ୍କୁଲ୍ ରେ ପାଠ ପଢୁଥିଲେ ସନ୍ଦୀପ। ନିଜେ ଟ୍ୟୁସନ୍ ହେବା ବଦଳରେ ନିଜେ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ। କାରଣ ତାଙ୍କର ଲକ୍ଷ ଥିଲା ବଡ଼। ଆଉ ଏବେ ଶେଷରେ ତାଙ୍କ ଇଚ୍ଛା ଓ ଆତ୍ମବିଶ୍ବାସ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଛି। ଗାଆଁ ର ପ୍ରଥମ ଛାତ୍ର ଭାବେ ମ୍ୟାଟ୍ରିକ ପାସ କରି ସେ ଗାଆଁ ପାଇଁ ଆଣିଦେଇଛନ୍ତି ଗୌରବ।
ତେବେ ଉଚ୍ଚ ଶିକ୍ଷା ଶେଷ କରି ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବା ପାଇଁ ଲକ୍ଷ ରଖିଛନ୍ତି ସନ୍ଦୀପ। କେବଳ ଇଞ୍ଜିନିୟର ହେବେନି ବରଂ ଗାଆଁ ର ସମସ୍ତ ଛୁଆ ଙ୍କୁ ଶିକ୍ଷିତ କରିବା ସହିତ ଗାଆଁ ରେ ଯାହା ବି ଅସୁବିଧା ଅଛି ତାକୁ ଦୂର କରିବାକୁ ସନ୍ଦୀପ ଇଚ୍ଛା ରଖିଛନ୍ତି।